ଫେରିବାର ବେଳ ପାଖେଇ ଆସିଲାଣି
ଖଟାମିଠା ଅନେକ ସ୍ମୃତି
ବାରମ୍ବାର ଛୁଇଁଯାଉଛି ମୋତେ ।
ହାତବୁଣା ସ୍ଵେଟର ଏବେବି
ସୁନ୍ଦର ଦେଖାଯାଉଛି ନୂଆପରି
ଛୋଟ ହୋଇ ଗଲାଣି ।
ଶୀତ ଆସିବା ପୂର୍ବରୁ
ଖୋଲିଦେଇ ବୁଣିବାକୁ ହେବ
କୋଉ ସମୟ ହେଉଛି କହିଲ?
ମରିବାକୁ ତ ସମୟ ମିଳୁନି ।
ମୋରି ହାତଗଢା
ସ୍ୱପ୍ନର ଏ ଘର ଭିତରେ
ପ୍ରତି କୋଣରେ ପହଁରି
ଗଲା ମୋ ଶ୍ରଦ୍ଧାର ଆଖି ।
ସଞ୍ଜ ବତୀ ବସାଇବାର ବେଳ ହେଲଣି
ଏରୁଣ୍ଡି ବନ୍ଧ ପାଖକୁ ଗଲି
ମୋର ସମସ୍ତ ଅକୁହା କଥା,
ରୁଦ୍ଧଇଛା ଆଉ ସ୍ବପ୍ନର ସଳିତାକୁ
ନେଇ ଦୁଆର ବନ୍ଧରେ ଜାଳିଦେଲି ।
ଆଦରର ସଳିତାଟି ସେମିତି ଜଳୁଥାଉ
ଆଲୋକିତ କରୁଥାଉ
ମୋ ଦୁଆର ଅଗଣାକୁ ।
ଛାତ ଉପରେ ମଉଳି ଯାଇଥିବା
ଫୁଲ ବଗିଚାରେ ସିଞ୍ଚି ଦେଲି ସବୁ ଅଶ୍ରୁ
ସୁଖର ବି ଆଉ ଦୁଃଖର ବି
ଏଇ ବିଜନ ସନ୍ଧ୍ୟାରେ ।
ଫାଟକ ପାଖ ଗଙ୍ଗଶିଉଳି ଗଛରେ
ଫୁଲ ଭର୍ତ୍ତି ହେଇଚି
ଚାରିଦିଗ ମହମହ ବାସୁଛି ।
ପୁନେଇଁ ଜନ୍ହ ଉଇଁ ଆସିଲାଣି
ଆଜି ଭାରି ତୋଫା ଦିଶୁଛି
ସବୁ ଥରଠୁ ବି ବେଶୀ ତୋଫା ।
ରାଧାକାନ୍ତ ମନ୍ଦିରର ରାସ୍ତା
ଜନ୍ହ ଆଲୁଅରେ ପରିଷ୍କାର ଦିଶୁଛି ।
ଆଗରୁ କେବେ ଯାଇନଥିବା
ରାଧାକାନ୍ତ ମନ୍ଦିର ଆଡକୁ
ହଠାତ ମୁଁ ଚାଲିବାକୁ ଆରମ୍ଭ କଲି ।
ଜୀବନ ମୁଁ ଯୋଉଠି ଆରମ୍ଭ କରିଥିଲି
ସେଇ ଜଗାକୁ ମୋର ଫେରିବାର ଅଛି ।
ମଲ୍ଲୀପୁର, ନିଆଳ, ଖୋର୍ଦ୍ଧା
ଦୂରଭାଷ : ୯୪୩୯୦୧୧୦୬୩
VOL.IX, ISSUE.IX, SEPTEMBER-2025
Published By Banamallira Mahak