
ପବନକୁ ଛୁଇଁ ଭରିଦେଉ ତୁ
ଶାନ୍ତ ଶୀତଳ ଆବେଗ
ମାଟିକୁ ଛୁଇଁ ତୁ ଅଜାଡ଼ି ଦେଉ
ପ୍ରେମ ପ୍ରୀତିର ଅନୁଭବ
ଫୁଲରେ ପତରେ ବାଣ୍ଟି ଦେଉଥାଉ
ନବ ପୁଲକର ଆତ୍ମ ତୃପ୍ତି
ଶୁଖିଲା ପରାଣେ ଜୀବନ ସଂଚାରୀ
ଝଲସାଇ ଦେଉ ଆଶା ଦୀପ୍ତି
ମଉସୁମୀ ତୁ ମଉସୁମୀ
ତପ୍ତ ବୁକୁର ବେଦନା ଲିଭାଉ
ଆସୁ ଯେବେ ତୁ ଝୁମି ଝୁମି ।
ପହିଲି ଛୁଆଁରେ ମାଟିରୁ ଆକାଶ
ସ୍ନିଗ୍ଧ ପରଶ ଖେଳିଯାଏ
ତୋ ଓଠ ହସରେ ଶୁଷ୍କ ଭୁଇଁ ଟା
ନିଜ ଅଜାଣତେ ଭିଜିଯାଏ
ତରୁ ଲତା ତୃଣ ଆନନ୍ଦେ ମଗନ
ତୋ ପରଶ ଦେହେ ମାଖିନିଏ
ଚାତକର ତୃଷ୍ଣା ମେଣ୍ଟିଯାଏ ସିନା
ଅପେକ୍ଷାର ଅନ୍ତ ଘଟିଥାଏ
ମଉସୁମୀ ତୁ ମଉସୁମୀ
ମୋ ଚାଷୀ ଭାଇ ସପନ ଦେଖଇ
ଗାଉ ଯେବେ ଗୀତ ରିମ୍ ଝିମ୍..
ମାଟିରୁ କଂକ୍ରିଟ ମହକାଇ ଦେଉ
ତୋ ପ୍ରେମ ପୁଲକ ଗୀତ ଗାଇ
ଡେଣା ଝାଡି ଝାଡି ନୀଡ଼ ଛାଡି ପକ୍ଷୀ
ଆକାଶର ନୀଳ ଯାଏ ଛୁଇଁ
ସାଧବ ବୋହୁଟା ଘାସ ଗାଲିଚାରେ
ଧୀରେ ଧୀରେ ପାଦ ଥାପୁଥାଇ
ବିନ୍ଦୁ ବିନ୍ଦୁ ତୋ'ର ବରଷା ବାରୀରେ
ଆଗାମୀର ଚିତ୍ର ଆଙ୍କୁଥାଇ
ମଉସୁମୀ ତୁ ମଉସୁମୀ
ବଦଳାଇ ଦେଉ ଜୀବନର ଜ୍ଵାଳା
ହସି ଉଠେ଼ ପୁଣି ଏ ଧରଣୀ..।
କଲ୍ୟାଣ ନଗର, ସମ୍ବଲପୁର, ଓଡିଶା
VOL.IX, ISSUE.VII, JULY-2025
Published By Banamallira Mahak