ଶୀର୍ଷକ : ରଙ୍ଗହୀନ ଗୋପ
ବିଷୟ : ହେ କଳା କହ୍ନେଇ ତୁମେ ଗଲା ଦିନୁ
ଏ ଗୋପ ନଗରୀ ଫିକା
ଆଖିର ଲୁହକୁ ନିତି ଓଠେ ପିଇ
ରାଧାରାଣୀ ବଞ୍ଚେ ଏକା ।

କହି ପାରେ ନାହିଁ ସହି ପାରେନାହିଁ
କୋହ ଭରେ ହୃଦୟରେ
କୁଞ୍ଜବନ ଆଉ ଯମୁନାକୁ ଚାହିଁ
ନିତି ଜଳେ ବିରହରେ ।

ଦହି ହାଣ୍ଡି ଦେଖି ପଛେ ଲୁଚି ଲୁଚି
ଆଉକେ ମାରିବ ଟେକା
ହେ କଳା କହ୍ନେଇ ତୁମେ ଗଲା ଦିନୁ
ଏ ଗୋପ ନଗରୀ ଫିକା ।

ମଥୁରା ଦ୍ୱାରକା ତୁମ ପରିଚୟ
ପର ହୋଇଗଲା ଗୋପ
ତୁମେ ହୋଇଗଲ ଶ୍ରୀପୁରୁଷୋତ୍ତମ
ରାଧାକୁ ଲାଗିଲା ପାପ ।

ତୁମ ବାଟ ଚାହିଁ ମଥାରେ ସେ ନାଏ
ପ୍ରେମର କଳଙ୍କ ଟୀକା
ହେ କଳା କହ୍ନେଇ ତୁମେ ଗଲାଦିନୁ
ଏ ଗୋପ ନଗରୀ ଫିକା ।
ବିଭାଗ କବିତା :
ଲେଖକଙ୍କ ନାମ : ସିଦ୍ଧେଶ୍ୱର ତ୍ରିପାଠୀ
ଠିକଣା : କୁଣ୍ଡିଲୋ, କେରଙ୍ଗ ଖୋର୍ଦ୍ଧା ଓଡ଼ିଶା India
ଫୋନ :
ଇମେଲ :