ତୋତେ ଟିକେ ଭେଟିବାକୁ
                  ବି. ନିରୁପମା

କେତେ ଆଶା ନେଇ ଧାଇଁ ଆସିଛି ମୁଁ
ତୋତେ ଟିକେ ଭେଟିବାକୁ ,
ରାଜି ହେବୁ କି ଲୋ ମୋ ସାଥିରେ ଆଜି
ବେଳ ଟିକେ କାଟିବାକୁ ।(ଘୋଷା)

ଭାରି ମନେପଡ଼େ ତୋ କଥା ଲୋ ମୋର
ନିରୋଳାରେ ଯେବେ ଥାଏ ,
ପିଲାବେଳେ କେତେ ଖେଳୁଥିଲେ ମିଶି
ସକାଳରୁ ସଞ୍ଜ ଯାଏ ।

ପଢ଼ା ବେଳ ହେଲେ ପୋଖରୀରେ ବୁଡ଼ି 
ଧାଉଁଥିଲେ ପଢ଼ିବାକୁ ।(୧)

ରାଜି ହେବୁ କି ଲୋ ମୋ ସାଥିରେ ଆଜି
ବେଳ ଟିକେ କାଟିବାକୁ....

ନାକ କାନ୍ଦୁରି ତୁ ଅଛୁ କି ସେମିତି
ଏବେ ବଦଳି ଗଲୁଣି ,
ମନେ ଅଛିକିନା ଧୂଳିଖେଳ କଥା
ତାକୁ ପାସୋରି ଦେଲୁଣି ।

ମିଛିମିଛିକା ତୁ ଭାତ-ତିଅଣ ଲୋ
ଦେଉଥିଲୁ ଖାଇବାକୁ ।(୨)

ରାଜି ହେବୁ କିଲୋ ମୋ ସାଥିରେ ତୁହି
ବେଳ ଟିକେ କାଟିବାକୁ....

କେତେ ଆଶା ନେଇ ଧାଇଁ ଆସିଛି ମୁଁ
ତୋତେ ଟିକେ ଭେଟିବାକୁ....

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।