ଛୋଟ ବେଳେ ବାରମଜା ଖାଇବାକୁ କାହାକୁ ବା ଭଲ ନଲାଗେ , ବିଭିନ୍ନ ପ୍ରକାର ଡାଲି ଛଣା ହୋଇ ପଡିଥାଏ , ତା ସହିତ ବେସନ ଏବଂ ଚାଉଳରେ ତିଆରି କିଛି ପଦାର୍ଥ । ଭଲ ତ ଲାଗେ ନିଶ୍ଚୟ । କିନ୍ତୁ ସବୁ ଜିନିଷରେ କିଛି ନା କିଛି ପ୍ରତିବନ୍ଧକ ଥାଏ । ଏକବିଂଶ ଶତାବ୍ଦୀର ମଣିଷ ତାକୁ ମାନୁଛି କିଏ । ହେଉ ପଛେ ଯେଉଁ ରୋଗ ମୁଁ ଖାଇବା କଥା ଖାଇବି । ଅଧିକା ବାରମଜା ଖାଇଲେ ପେଟରୋଗ ବି ହୁଏ ସମସ୍ତେ ଜାଣନ୍ତି ହେଲେ ଶୁଣୁଛି କିଏ । ପାଟିକୁ ସୁଆଦ ଲାଗୁଛି ତ ସେତିକି ଦରକାର ବାକି କଥା ପଚାରେ କିଏ। 


ଦିନେ ରାସ୍ତାରେ ଯାଉ ଯାଉ ନିଶିକାନ୍ତ ବାବୁଙ୍କର ଦେଖା ହେଲେ ତାଙ୍କ ପିଲାଦିନର ବନ୍ଧୁ ଘନଶ୍ୟାମ ବାବୁ। ଏତେ ଦିନ ପରେ ଦେଖା ଦୁହେଁ ପ୍ରଥମେ ହସ୍ତ ମର୍ଦନ କରି କୋଳାକୋଳି ହେଲେ । ଆନନ୍ଦର ସୀମା ନଥାଏ । ଛୋଟ ବେଳେ ଏକାଠି ବିଦ୍ୟାଳୟ ଯାଆନ୍ତି , ଖେଳନ୍ତି , ବୁଲନ୍ତି ତାଙ୍କୁ ଦେଖିଲେ ସମସ୍ତେ କୁହନ୍ତି ଏ ଦୁହେଁ ବନ୍ଧୁ ନୁହେଁ ଦୁଇ ଭାଇ ଭଳି । ଦଶମ ଶ୍ରେଣୀ ପରୀକ୍ଷା ପରେ ଆଉ କାଶିଆ କପିଳା ଭେଟ ନାହିଁ ଆଜି ଦୀର୍ଘ ୩୦ ବର୍ଷ ପରେ ଦେଖା , ଦୁହେଁ ବହୁତ ଖୁସି ନିଶିକାନ୍ତ ବାବୁ ଘନଶ୍ୟାମ ବାବୁଙ୍କୁ ଚା ପିଇବାକୁ ଡାକିଲେ , ଚା ଦୋକାନ ପାଖରେ ଦୁହେଁ ପହଞ୍ଚିଲେ , ନିଶିକାନ୍ତ ବାବୁ ଦକଦେଲେ ମିଟୁ ଭାଇ ଦୁଇଟା ଚା ଦିଅ । ଚା ଦୋକାନୀ ଚା ବଢାଇଦେଲେ । ଦୁହେଁ ଚା ଟିକେ ଟିକେ ପିଉ ପିଉ ଆରମ୍ଭ ହେଲା ଗପ । ପ୍ରଥମେ ଘନଶ୍ୟାମ ବାବୁ ଟିକେ ରାଜକୀୟ ଶୈଳୀରେ ପଚାରିଲେ ଆଉ ବନ୍ଧୁ କଣ କରୁଛ ଏବେ। ଟିକେ ଧୀର ସ୍ୱରରେ ନିଶିକାନ୍ତ ବାବୁ ଉତ୍ତର ଦେଲେ ଶିକ୍ଷକତା । ଆଉ ତୁ ନିଶିକାନ୍ତ ବାବୁ ପଚାରିଦେଲେ । ଆରମ୍ଭ ହୋଇଗଲା ଘନଶ୍ୟାମ ବାବୁଙ୍କର ଆତ୍ମ ପରିଚୟ , ପରିଚୟଟି ଟିକେ ଲମ୍ବା ଥିଲା ଶବ୍ଦର କିଛି ଠିକଣା ନାହିଁ ହଁ ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗର ଭାବ ଭଙ୍ଗୀରେ ଅନେକ କଥା କହିଗଲେ , କିଛି କଥା ଆଖିରେ କିଛି କଥା ହାତର ବିଭିନ୍ନ ଶୈଳୀ ଦ୍ୱାରା । କିଛି ସମୟ ପାଇଁ ସ୍ଥିର ହୋଇଗଲେ ନିଶିକାନ୍ତ ବାବୁ ଚୁପ ବି ରହିଗଲେ ଏବଂ ହଜିଗଲେ କିଛି ଭାବନାରେ । ହଠାତ ପିଠିରେ ଟିକେ ଥାପୁଡ଼େଇ ଘନଶ୍ୟାମ ବାବୁ କହିଲେ ଆରେ ନିଶି କଣ ହେଲା କୁଆଡେ ହଜିଗଲୁ। ଟିକେ ପ୍ରକୁସ୍ଥିତ ହୋଇ ନିଶିକାନ୍ତ ବାବୁ ପଚାରିଲେ ଆଛା ତୋତେ କେତେ ପ୍ରକାରର ଭାଷା ଜଣା । ଘନଶ୍ୟାମ ପଚାରିଲେ ଆରେ କାହିଁକି ହଠାତ ଏ ପ୍ରଶ୍ନ । ନିଶିକାନ୍ତ ନା ଏମିତି ଭଲ କହିପାରୁଛୁ ଆଛା ହଉ ଏବେ କହ କେତେ ପ୍ରକାରର ଭାଷା ଜାଣିଛୁ ଆଉ କଣ କରୁଛୁ । ଘନଶ୍ୟାମ ବାବୁ ଟିକେ ହସି ଉତ୍ତର ଦେଲେ ଆରେ ଏଇ କଥା, ମୁଁ କଥା ଆରମ୍ଭ କଲେ ଏମିତିରେ ମୋତେ ଚାରିଟି ଭାଷା ଜଣା ଆଉ ମୁଁ ଓଡ଼ିଆ , ହିନ୍ଦୀ ଏବଂ ତେଲୁଗୁ ସାହିତ୍ୟ ସଂସଦର ଜଣେ ସକ୍ରିୟ ସଦସ୍ୟ । ନିଶିକାନ୍ତ ବାବୁ ଉତ୍ତର ପୁଣି ପଚାରିଲେ ଚାରିଟି ଯାକ ଭାଷା କଣ ଭଲ ଭାବରେ ଜଣା । ଠୋ ଠୋ ହସି ସେଇଟା କଣ ଦରକାର ସବୁ ଭାଷା କଣ ଜାଣିବା ଦରକାର । ଭାଷା ଯାହା ହେଉ ସବୁ ଥିରେ ବିଭିନ୍ନ ଭାଷା ମିଶେଇଲେ ହେଲା । ଟିକେ ରହି ନିଶିକାନ୍ତ ଉତ୍ତର ଦେଲେ ଆଛା ହଉ ସାହିତ୍ୟ ସଭାକୁ ଗଲେ ବି ଏମିତି କରୁ। ପୁଣି ହସି ଆରେ ସାହିତ୍ୟ ସଭା କଣ , ମୁଁ ଦୂରଦର୍ଶନରେ କିଛି କାର୍ଯ୍ୟକ୍ରମ କରିଛି , ସବୁ ଏମିତି ତାପରେ ମୋତେ କିଏ କଣ କହିବ ମୁଁ ଆମ ନିର୍ବାଚନ ମଣ୍ଡଳୀର ସରପଞ୍ଚ । ଆର ନିର୍ବାଚନରେ ବିଧାୟକ ପଦ ପାଇଁ ଲଢ଼ିବି । ରାଜନୀତିୟା ଲୋକ ଆମେ ଆମକୁ କିଏ ପ୍ରଶ୍ନ କରିବ । ଏ ଯେମିତି ଚଳଚିତ୍ରରେ ତାରକା ମାନେ ଯାହା କରନ୍ତୁ ଆମ ଲୋକମାନେ ତାଙ୍କୁ ପିଛା କରନ୍ତି । ସେମିତି ରାଜନେତା ପଛରେ ଆମ ଜନତା । ପ୍ରଶ୍ନ ପଚାରିବ କିଏ । ନିଶିକାନ୍ତ ଟିକେ ଚୁପ ହୋଇଗଲେ , ଘନଶ୍ୟାମ ବାବୁ ପୁଣି ହସି ଆରେ ମୋର ଦୁଇଟି ପୁସ୍ତକ ବି ପ୍ରକାଶ ପାଇସାରିଛି । ନିଶିକାନ୍ତ ବାବୁ ଅଭିନନ୍ଦନ ଜଣାଇଲେ । ଘନଶ୍ୟାମ ବାବୁ କହିଲେ ଆରେ ଆଜିକାଲି ଏସବୁ ଚାଲେ ଖାଲି ଗୋଟିଏ ଭାଷାରେ କହିଲେ ଅଧା ଲୋକ ବୁଝିବେନି । ଟିକେ ଇଂରାଜୀ ଟିକେ ହିନ୍ଦୀ ମିଶିବା ଦରକାର , ଛୋଟବେଳେ ବାରମଜା ଖାଇଛୁ ନା ମଜା ନେ । ନିଶିକାନ୍ତ ବାବୁ କହିଲେ ଅଧିକା ବାରମଜା ଖାଇଲେ ପେଟ ଖରାପ ହେବ । ଘନଶ୍ୟାମ ବାବୁ ଉତ୍ତର ଦେଲେ ସେକଥା କିଏ ଭାବୁଛି ପାଟିକୁ ସୁଆଦ ଲାଗିଲେ ହେଲା। ବାକି ସବୁ ପଛେ । ମୁଁ ଚାଲିଲି ବାରମଜା ଖାଉଥା ଆଉ ମଜା ନେଉଥା । ନିଶିକାନ୍ତ ବାବୁ ଟିକେ ହସି ଚାଲିଲେ ବିଦ୍ୟାଳୟ ଅଭିମୁଖେ ।

କ୍ରମଶଃ......


ରଚନା : ରାକେଶ ସାହୁ

ଠିକଣା : ଭୁବନେଶ୍ୱର ଦୂରଭାଷ :