ତୁମରି ମୂଳରେ ଜଳ ଢାଳି ନିତି
ଫୁଲ ଦେଉଅଛି ତୋଳି ,
ମାଆ ବୃନ୍ଦାବତୀ ଦୟା ରଖିଥିବ
ବିପତ୍ତି ମୋ ଦେବ ଟାଳି ।

ତୁମ ସେବା ପୂଜା କରୁଛି ମାଆ ଗୋ
ମନରେ ଭକତି ଭରି ,
କରୁଣା କରିଲେ-ରାଜା ପୁଅ ଆସି
ନେବେ ମୋର ହାତ ଧରି ।

କୋଉଦିନୁ ତାଙ୍କ ବାଟ ଚାହିଁ ଅଛି
ଆସିବେ ସତରେ ସିଏ ,
ରୂପ,ଗୁଣ ଆଉ ବିଭବରେ ତାଙ୍କ
ସରି ହୋଇବେନି କିଏ ।

କୋଳକୁ ମୋହର ଦେବ ପୁଅ ଝିଅ
ବଜର କରିବ ଶଙ୍ଖା ,
ପାଚିଲା ବାଳରେ ସିନ୍ଦୁର ନାଇବି
କର୍ମ ନ କରିବ ବଙ୍କା ।

ତୁମ ସେବା,ପୂଜା,ଭକତିରେ କେବେ
କରିବିନି ଅବହେଳା ,
ସୁରୁଖୁରୁରେ ମା' ଚଳେଇ ନେବ ଗୋ
ମୋ ସଂସାର ଲୀଳା-ଖେଳା ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।