କଦମ୍ବ ଡାଳରେ କହ୍ନେଇ ଝୁଲୁଛି
ଧ୍ୟାନ ରଖିଥା ଲୋ 'ସୁଧା ',
ଯମୁନାରେ ଏବେ ସ୍ନାନ ମୁଁ କରୁଛି
କାଳେ ଆସିବ କି ବାଧା ।

ଘରେ ଖାଲି ସିଏ ରାହା ଧରୁଥିଲା
କୋଳରେ ହୋଇଲା ତୁନି ,
ଶେଯ କି ଝୁଲଣା ଯେଉଁଠି ଶୋଇଲେ
ମନ ତା'ର ମାନିଲାନି ।

ହାତ ବଢ଼ାଇକି ଟାଣି ହେଲା ଖାଲି
ମୋ ସାଥେ ଆସିବା ପାଇଁ ,
ମୋ ଧନ ଆଖିରୁ ଲୁହ ପୋଛି ତେଣୁ
କାଖେଇ ଆସିଲି ନେଇ ।

କଦମ୍ବ ଡାଳର ଝୁଲଣାରେ ଝୁଲି
ପକ୍ଷୀଙ୍କୁ ଡାକୁଛି ଧନ ,
ସୁଧାମୟୀ ଆଲୋ,ଏତେଦିନ ପରେ
ଭାରି ଖୁସି ତା'ର ମନ ।

ଏଡ଼ିକି ବକଟେ ଛୁଆ ସିନା ସିଏ
ସିଆଣା ହେଲାଣି କେତେ ,
ଜଣା ପଡ଼ିଲାଣି ଆଗକୁ ଏ ମୋର
ନାଆଁ ରଖିବ ମରତେ ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।