ମାସ କେଇଟାରେ ମୋ ଭାଗ୍ୟ
ସରକାର ବଦଳିବା ପରି
ହଠାତ୍ ବଦଳିଗଲା ।।

ମାସ କେଇଟା ପୂର୍ବରୁ
ଅଲୋଡ଼ା ହୀନିମାନ ହୋଇ
ରାଜା ରାସ୍ତାରେ ଗଡୁଥିବା ବେଳେ
ସହସା ଯେମିତି ମହାର୍ଘ୍ୟ ବସ୍ତୁରେ
ମୋର ରୂପାନ୍ତର ହୋଇ ଗଲା ।।

ଅବଶ୍ୟ ମୋ ପାଇଁ ଏହା
ଆକସ୍ମିକ ନୁହେଁ,
ବରଷକେ ଥରେ ମୋ ଭାଗ୍ୟରେ
ଏପରି ପରିବର୍ତ୍ତନ ଆସେ,
ମୁଁ ରଙ୍କରୁ ରଙ୍କନିଧି ପାଲଟି ଯାଏ,
ମୋ ସହ ଯୋଡ଼ି ହୋଇ ଥିବା
କିଛି ଜମାକାରୀ, ଅସାଧୁ ବେପାରୀ
ରାତିକରେ ହାତିଏ ଠୁଳେଇ ଦିଅନ୍ତି।।

କାହାର ପୁଷ ମାସ ତ
କାହାର ସର୍ବ ନାଶ ପରି
ଗରିବ ଖଟି ଖିଅାଙ୍କ ପଖାଳ କଂସାରେ
ମୁଁ ସାତ ସପନ ପାଲଟି ଯାଏ,
ଝୁମ୍ପୁଡ଼ିରୁ ଅଟ୍ଟାଳିକା ପର୍ଯ୍ୟନ୍ତ
ସଭିଙ୍କ ଆଖିରେ ମୁଁ
ଲୁହ ହୋଇ ବହି ଯାଏ ।।

ଘରଠୁଁ, ବଜାର, ପାର୍ଲିଆମେଣ୍ଟ
ସବୁଠି ମୋର ଚର୍ଚ୍ଚା,
ଏ ପରିବର୍ତ୍ତନରେ ଆଜି
ଛାତିଟା ମୋର ଫାଟି ପଡୁଛି,
ମୋ ଅନ୍ତର୍ନିହିତ ଶକ୍ତିର
କଳନା କଲା ବେଳେ
ମୁଁ ବିସ୍ମିତ ହେଉଛି ।।

ମୁଁ ଗଣତନ୍ତ୍ରର ସୁଦୃଢ଼ ସ୍ତମ୍ଭକୁ
ଦୋଦୂଲ୍ୟମାନ କରିଦେଇ ପାରେ,
ଦାନା ବାନ୍ଧୁଥିବା ପୁଞ୍ଜିଭୂତ ଅସନ୍ତୋଷକୁ
ବିପ୍ଳବରେ ପରିଣତ କରିଦେଇ ପାରେ,
ହଁ, ପିଆଜ ମୁଁ ,ପିଆଜ
ଭବିଷ୍ୟତ ପାଇଁ ସତର୍କ ଘଣ୍ଟି ହୋଇ ପାରେ ।।

# ପ୍ରଦୀପ କୁମାର ପ୍ରଧାନ #
ଅଧ୍ୟାପକ, ଇଂରେଜୀ ବିଭାଗ
ଡି.ଏ. ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର


ରଚନା : ପ୍ରଦୀପ କୁମାର ପ୍ରଧାନ

ଠିକଣା : ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର,  ଦୂରଭାଷ : ୮୭୬୩୬୨୯୨୮୨