ଆ' ଜହ୍ନ ମାମୁଁ ସରଗ ଶଶି,
ରାଜା ପୁଅ ମୋ' ଯାଇଛି ରୁଷି ।
ପରୀ ରାଇଜକୁ ବୁଲେଇ ନେବୁ,
ସାଙ୍ଗ ହୋଇ ତା'କୁ ମନେଇ ଦେବୁ ।
ତାରା ଫୁଲ ସଙ୍ଗେ ଖେଳିବ ବସି,
ଗୋଟି ଗୋଟି ତାରା ଗଣିବ ହସି ।
କ୍ଷୀର, ରୁଟି ଦୁହେଁ ମିଶି ଖାଇବ,
ଅଙ୍କ ଗଣି ଗଣି ଗୀତ ଗାଇବ ।
ଏକ ,ମାଗୁଣୀ ଶଗଡ଼ ଦେଖ,
ଗାଁ' ଦାଣ୍ଡରେ ଗଡ଼ଇ ତା' ଚକ ।
ଦୁଇ, ଏଇ ଆମ ଗାଁ' ବଡ଼ନଈ,
ପାଣି ପିଅ ଛାଣି ଛାଣି ମୋ' ଭାଇ ।
ତିନି , ଦେଖ ନାଲି ପିମ୍ପୁଡ଼ି ରାଣୀ ,
ନିତି କହଇ ବଞ୍ଚିବା କାହାଣୀ ।
ଚାରି, ମାମୁଁ ଗାଁ' ନଈ ସେପାରି,
ବଗ ଥଣ୍ଟରେ ମାଛକୁ ଦେଲା ଧରି ।
ପାଞ୍ଚ, ରୋଷେଇ ଘରେ ତେଲ କାଞ୍ଚ,
ବିଲେଇ ଖାଏ କଟାମାଛର ଲାଞ୍ଜ ।
ଛଅ, ଶିଶୁ ରାଇଜ ଗୀତଟେ ଗାଅ,
ଟିକି ଟିକି ତାରା ତୁମେ ହସୁ ଥାଅ ।
ସାତ, ସଫାରଖ ନିଜର ହାତ,
ନିରୋଗୀ ରହିବ ଖାଇଲେ ଭାତ ।
ଆଠ, ଚାଲ ସଭିଏଁ ପଢ଼ିବା ପାଠ ,
ଚାଟଶାଳାରେ ଆମେ ନୂଆ ଚାଟ ।
ନଅ, ସକାଳୁ ବୁଟ ପାଣି ପିଅ,
ଶରୀର ନିଇତି ଯତନ ନିଅ ।
ଦଶ, ଦେଖ ଆମର ସ୍କୁଲ ବସ୍ ,
ଘରକୁ ଯିବା ମନଖୋଲି ହସ ।
ଜହ୍ନ ମାମୁଁ ପାଠ ପଢ଼ା ସରିଲା
ରାଜା ପୁଅ ହସି ହସି ଗଡ଼ିଲା ।

ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଆସିକା, ଗଞ୍ଜାମ,   ଦୂରଭାଷ : 9566876504