
ତୋ ଗାଁ ରୁ ଯେବେ ରାତି ଫେରିଯାଏ
ମୋ ଗାଁରେ ହୁଏ ଦିନ
ଗାଁ ମୁଣ୍ଡେ ତୋର ସଞ୍ଜ ନଇଁଲେ
ମୋ ଗାଁରେ ଉଠେ ଜହ୍ନ,
ମୋ ଗାଁରେ ଯେବେ ମଲ୍ଲୀ ମହକେ
ଗଭା ତୋ ଚହଟି ବାସେ
ଆଖିରେ ଆଖିଏ ରଙ୍ଗ ଭରିଯାଏ
କାହାଣେ ସପନ ଆସେ,
ଭୁଲି ଯଦି କେବେ ଚଲା ବାଟ ମୋର
ଗାଁ ମୁଣ୍ଡେ ତୋର ସରେ
କାହିଁକି ଜାଣେନା ପାଦ ମୋ ଫେରେନା
ପରାଣଟା ଭାରି ଝୁରେ,
ତୁ କିଛି ଜାଣୁ ମୁଁ ବି କିଛି ଜାଣେ
ହେଲେ ସେ ଅକୁହା ସବୁ
ତୁ ବି ନୀରବ ମୁଁ ବି ନୀରବ
ରାତି ବିତେ ଭାବୁ ଭାବୁ।।
