ଦୁର୍ଗତିନାଶିନୀ ଜଗତଜନନୀ
ବିଶ୍ୱେଶ୍ୱରୀ ପରା ମାଆ
ଯେବେ କଳିକାଳ ଘୋର ଉପସ୍ଥିତ
ବିପଦୁ ଉଦ୍ଧାରୁ ଥାଆ। ।1
ନବମୀ ପୂଜାରେ ନବ ମାତା ପୂଜା
କରେ ଶକ୍ତି ଆରାଧନା
ଗୋଟି ଗୋଟି କରି ସେ କଥା ସମୂହ
କରେ ଏଠି ଆଲୋଚନା।।2
ଦକ୍ଷ ପ୍ରଜାପତି ନନ୍ଦିନୀ ତୁହିଲୋ
ଶିବଙ୍କ ଘରଣୀ ସତୀ
ସ୍ଵାମୀ ଅପମାନ ପାରିଲୁନି ସହି
ଯଜ୍ଞେ ଦେଲୁ ମୁଣ୍ଡ ପାତି।। 3
ଯେଣୁ ଶୈଳରାଜ ହିମାଳୟଠାରୁ
ଜନମିଲୁ ତୁହି ମାତ
'ଶୈଳପୁତ୍ରୀ'ନାମ ବହି ତୁ ସଂସାରେ
ହେଲୁ ପୁନଃ ଆତଯାତ।।4
ବାହାନ ଯାହର ନନ୍ଦୀ ପରା ଅଟେ
ତ୍ରିଶୂଳଟି ଅସ୍ତ୍ର ଜାଣ
ବାମ କରେ ତୋର କମଳ ପୁଷ୍ପଟି
ହସ୍ତ ଦୁଇ ଗୋଟି ଟାଣ।। 5
ଦ୍ଵିତୀୟେ କଲୁ ଯେ ଘୋର ସେ ତପସ୍ୟା
ଶିବଙ୍କୁ ପାଇବା ପାଇଁ
ତପସ୍ୟାଚାରିଣୀ ବ୍ରତ ତୁ ପାଳିଲୁ
'ବ୍ରହ୍ମଚାରିଣୀ' ଯେ ହୋଇ।। 6
ବିନା ସବାରରେ ଭ୍ରମଣ ତୁ କରୁ
ହସ୍ତ ଦୁଇ ଗୋଟି ବଳୀ
ବାମ କରେ ଥାଏ କମଣ୍ଡଳୁ ତୋର
ଡାହାଣେ ଯେ ଜପାମାଳି।। 7
ତୃତୀୟେ ଶିବଙ୍କୁ କଲାଠୁଁ ବିବାହ
ଶିର ଅର୍ଦ୍ଧଚନ୍ଦ୍ର ହେଲା
ଘଣ୍ଟା ପରି ଯାହା ପ୍ରତୀକିତ ହୁଏ
ତେଣୁ 'ଚନ୍ଦ୍ରଘଣ୍ଟା' ଭଲା ।।8
ବ୍ୟାଘ୍ରାରୋହିଣୀ ଲୋ ତୁହି ଦଶଭୂଜା
ଏହି ରୂପେ ପରିଚିତା
ଜପାମାଳି ତଥା କମଣ୍ଡଳୁ ସଙ୍ଗେ
ଅନ୍ୟ ଅସ୍ତ୍ରେ ସୁସଜ୍ଜିତା।। 9
ଚତୁର୍ଥରେ ତୋତେ କହେ କୁଷ୍ମାଣ୍ଡା
ଯେଣୁ ସୃଷ୍ଟି କଲ ଉର୍ଜା
କୁ ଉଷୁମ ଅଣ୍ଡା ଯାହାର ଅର୍ଥଟି
ଛୋଟ ଅଣ୍ଡାକୃତି ଊର୍ଜା।। 10
ପୃଥିବୀର କଲୁ ପରିକଳ୍ପନାଟି
ଅଣ୍ଡାକୃତି ଏହି ପରି
ତହିଁ କରୁ ଉର୍ଜା ପ୍ରତିରୋପଣଟି
ଅସ୍ତ୍ର ଅଷ୍ଟ ଭୂଜେ ଧରି ।। 11
ଦେବାସୁର ଯୁଦ୍ଧେ ନେତୃତ୍ୱ ସକାଶେ
ଦେଲୁ ଜନ୍ମ୍ ସ୍କନ୍ଦ ଯେଣୁ
ସ୍କନ୍ଦ ବା କାର୍ତ୍ତିକ ମାତା ହେବା ଯୋଗୁଁ
'ସ୍କନ୍ଦମାତା' ରୂପେ ଯାଣୁ।। 12
ସିଂହ ବାହାନଟି ଚତୃଭୂଜା ମାତା
କ୍ରୋଡ଼େ ଥା'ନ୍ତି କାର୍ତ୍ତିକେୟ
ଦୁଇ ହସ୍ତେ ପଦ୍ମ ଧାରଣ କରୁ ତୁ
ଆନ ଆଶୀର୍ବାଦଯୁକ୍ତ।। 13
କାତ୍ୟାୟନ ରୁଷି ତପସ୍ୟା କଲାଠୁଁ
କନ୍ୟା ରୂପେ ନେଲୁ ଜନ୍ମ
ତେଣୁ 'କାତ୍ୟାୟନୀ' ରୂପେ ଯେ ବନ୍ଦିତା
ଏହି ତ ଜନ୍ମ ବୃତ୍ତାନ୍ତ।। 14
ଅନ୍ୟ ସିଦ୍ଧାନ୍ତଟି ମହିଷା ନିଧନେ
ନେଲ ପ୍ରଥମରୁ ଯେଣୁ
କାତ୍ୟାୟନୀ ରୂପେ ତେଣୁ ତୋ ବନ୍ଦନା
ମାତା 'କାତ୍ୟାୟନୀ' ଭଣୁ।। 15
ସିଂହ ବାହାନଟି ଚତୁର୍ଭୂଜା ମାତା
ଅସୁର ନିଧନ ପଣ
ଏକ କରେ ଖଡ୍ଗ ଆନ କରେ ପଦ୍ମ
ଭୟାର୍ତ୍ତ ଅସୁର ଗଣ।। 16
ରକ୍ତ ବୀର୍ଯ୍ୟ ରକ୍ତ ନିବାରଣ ଲାଗି
ସ୍ଵ ସ୍ଵର୍ଣ୍ଣ ଛାୟାରୁ ଜାତ
'କାଳରାତ୍ରି' ମାତା କରେ ଉପାସନା
ସପ୍ତ ଦିବସେ ଭକତ।। 17
ଚତୁର୍ଭୂଜା ମାତା କରେ ଧରି ଫାର୍ଶା
ଆନ କରେ ପଶୁପତଃ
ଗଧଟି ବାହାନ ରୂପକାନ୍ତି କଳା
ଶୁଭ ଫଳ ପ୍ରଦାୟକଃ।। 18
ଅସୁର ସଂହାରୀ ମଳିନଟି କାନ୍ତି
ତହୁଁ ଗଙ୍ଗାସ୍ନାନ କରି
ସ୍ଵ କାନ୍ତି ପାଇଲ ଗୌରବର୍ଣ୍ଣ ଫେରି
ହେଲ ତେଣୁ ମହାଗୌରୀ।। 19
ନନ୍ଦୀ ପରେ ବସି ଚାରି ହାତ ଲମ୍ବୁ
ତ୍ରିଶୂଳ ଡମ୍ବରୁ ଧରି
ଅପରୂପା କାନ୍ତି ଶାନ୍ତି ପ୍ରଦାୟିନୀ
ଗୌରବର୍ଣ୍ଣା ଦୁଃଖହାରୀ।। 20
ଅଷ୍ଟ ସିଦ୍ଧି ସ୍ଵାମୀ ତୁ ସିଦ୍ଧି ଦାୟୀକା
ସର୍ବ ଫଳ ସିଦ୍ଧିଦାତ୍ରୀ
ନବମୀ ପୂଜାରେ ଶେଷେଟି ପୂଜନ
ତୁମ ଠାରେ ହୁଏ ବ୍ରତୀ।। 21
ଚର୍ତୁଭୁଜେ ଶଙ୍ଖ ଚକ୍ର ଗଦା ପଦ୍ମ
ଧାରଣ ତୁ କରିଥାଉ
ପଦ୍ମ ପରେ ବସି ଦୁଷ୍ଟ ବିନାଶିନୀ
ଶିଷ୍ଟ ପରା ପାଳିଥାଉ।। 22
ସ୍ଵୟଂ ଶିବ ଦିନେ ଅଷ୍ଟସିଦ୍ଧି ଲାଗି
କାମନା ରଖିଣ ତୋ'ଠିଁ
କରନ୍ତେ ପୂଜନ ସିଦ୍ଧି ଲଭି ହେଲେ
ଅର୍ଦ୍ଧେକ ନାରୀଶ୍ୱରଟି।। 23
ଏହି ପ୍ରକାରର କେତେ ରୂପେ ମାତ
କରୁଲୋ ତୁ ଯୁଗଭୋଗ
ମୁଁ କାହୁଁ ବୁଝିବି କରି ଦେ ଖାଲି ମୋ
ଅଭୀଷ୍ଟ ସିଦ୍ଧିର ଯୋଗ। ।24
ଏହି ରୂପେ ଆମେ ନବ ମାତା ପୂଜା
କରି ଥାଉ ନବ ଦିନ
ନବରାତ୍ରି ପୂଜା ରୂପେ ସେ ଯେ ଖ୍ୟାତ
କେତେ ଯେ କହିବା ମନ।।25
ଉପସମକାରୀ ନିବନ୍ଧକ 
ସମବାୟ ସମିତି ସମୂହ 
ଢେଙ୍କାନାଳ 
ମୋ 9937181846