*ରାମାୟଣରୁ କିଛି......୫୯*

*ବ୍ରହ୍ମା,ବିଷ୍ଣୁ ଓ ଶିବଙ୍କ ମଧ୍ଯରେ ବିଷ୍ଣୁ ବଡ଼ ବୋଲି କିଏ ଓ କାହିଁକି କହିଲେ*

ଏକଦା ଶିଵଙ୍କ ଯଜ୍ଞରେ ବ୍ରହ୍ମା ଆହୁତି ଦେଲାବେଳେ ଦେବକନ୍ଯାମାନଙ୍କୁ ଦେଖି ବ୍ରହ୍ମାଙ୍କର ବୀର୍ଯ୍ଯ ସ୍ଖଳିତ ହେଲା । ସେହି ବୀର୍ଯ୍ଯକୁ ସୂର୍ଯ୍ଯ ନିଜ କିରଣ ଦ୍ବାରା ଟାଣିନେଇ ଯଜ୍ଞରେ ନିକ୍ଷେପ କଲେ । ସେହି ବୀର୍ଯ୍ଯରୁ ଯଜ୍ଞାଗ୍ନି ମଧ୍ଯରୁ ମହର୍ଷି ଭୃଗୁଙ୍କର ଜନ୍ମ । ଭୃଗୁ ବଡ଼ ଟାଣୁଆ ଋଷି ଥିଲେ । ବ୍ରହ୍ମା,ବିଷ୍ଣୁ ଓ ଶିବ ଏହି ତିନିଦେଵତାଙ୍କ ମଧ୍ୟରେ କିଏ ବଡ଼ ଏହି କଥା ସ୍ଥିର କରିବା ପାଇଁ ଥରେ ମୁନିଋଷିମାନେ ଭୃଗୁଙ୍କ ଉପରେ ଦାୟିତ୍ୱ ଦେଇଥିଲେ । ଭୃଗୁ ନିଜ ଅନୁଭବଦ୍ବାରା ଏକଥା ସ୍ଥିର କରିବା ପାଇଁ ପ୍ରଥମେ ବ୍ରହ୍ମାଙ୍କ ପାଖକୁ ଓ ତା'ପରେ ଶିବଙ୍କ ପାଖକୁ ଗଲେ । ବ୍ରହ୍ମା ଓ ଶିବଙ୍କୁ ଭୃଗୁ ନମସ୍କାର ନକରିବାରୁ ବ୍ରହ୍ମା ଓ ଶିବ ଭୃଗୁଙ୍କ ଉପରେ ବଡ଼ କ୍ରୋଧ ପ୍ରକାଶ କଲେ । ସ୍ତୁତିଗାନଦ୍ବାରା ଭୃଗୁ ସେ ଦୁଇଜଣଙ୍କୁ ଶାନ୍ତକରି ବିଷ୍ଣୁଙ୍କ ପାଖକୁ ଗଲେ । ଭୃଗୁ ପହଞ୍ଚିଲା ବେଳକୁ ବିଷ୍ଣୁ ଗାଢ ନିଦ୍ରାରେ ଶୟନ କରିଥିଲେ । ବିଷ୍ଣୁଙ୍କର ନିଦ୍ରାଭଙ୍ଗ ବହୁ ବିଳମ୍ବବ ହେବ ଵୋଲି ଅନୁମାନ କରି ଭୃଗୁ ବିଷ୍ଣୁଙ୍କ ଛାତିକି ଏକ ଶକ୍ତ ଗୋଇଠା ମାଇଲେ । ଏଥିରେ ବିଷ୍ଣୁଙ୍କର ନିଦ ଭାଙ୍ଗିଗଲା । ବିଷ୍ଣୁଙ୍କୁ ଗୋଇଠା ମାରିବାଦ୍ବାରା ଭୃଗୁଙ୍କ ପାଦକୁ କାଳେ କଷ୍ଟ ହୋଇଥିବ ଏହିକଥା ଭାବି ବିଷ୍ଣୁ ଭୃଗୁଙ୍କର ପାଦସେବା କରିବାରେ ଲାଗିପଡିଲେ । ଏଥିରୁ ଭୃଗୁ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ବ୍ରହ୍ମା,ବିଷ୍ଣୁ ଓ ଶିବଙ୍କ ମଧ୍ୟରେ ବିଷ୍ଣୁହିଁ ହେଉଛନ୍ତି ବଡ଼ । ଧନୁର୍ବିଦ୍ଯାରେ ଭୃଗୁ ହେଉଛନ୍ତି ପ୍ରଥମ ଆଦିଗୁରୁ । କେତେକଙ୍କ ମତରେ ବ୍ରହ୍ମାଙ୍କ ବୀର୍ଯ୍ଯରୁ ଭୃଗୁ ଜାତ ହୋଇନାହାନ୍ତି । ସେମାନଙ୍କ ମତରେ ଭୃଗୁ ହେଉଛନ୍ତି ଵ୍ରହ୍ମାଙ୍କର ମାନସପୁତ୍ର ।


ରଚନା : ନରେନ୍ଦ୍ର ପ୍ରସାଦ ବେହେରା

ଠିକଣା : ଆଳଦା, ଖଇରା,ବାଲେଶ୍ଵର ଦୂରଭାଷ : ୯୮୫୩୧୪୨୫୧୦