ଫେରାଇ ଦିଅ ତା' ହସ 
                    ବି.ନିରୁପମା

ଘର ଅଗଣାର ତୁଳସୀ ତ ସିଏ 
ପୁଣ୍ୟତୋୟା ନଦୀ ଧାରା ,
ତା' ସମ୍ମାନ ଲାଗି ,ଆଜି ଉଠ ଜାଗି
ହେ ମାନବ କୁଳ ସାରା ।
        ନ କର ତା' ଅପମାନ ;
ଫେରାଇ ଦିଅ ତା' ଅତୀତ ଗୌରବ,
ସମ୍ମାନ ଓ ସ୍ୱାଭିମାନ ।

ନାରୀ ସ୍ନେହମୟୀ ,କଲ୍ୟାଣମୟୀ ଯେ
ସହନଶୀଳାଟି ସଦା ,
ନୁହଁଇ ତ ସିଏ କାଠ-ପାଷାଣର
ଖେଳଣା କଣ୍ଢେଇ କଦା ।
          ନୁହେଁ ବି ସେ କ୍ରୀତଦାସୀ ;
ଆବଶ୍ୟକ ହେଲେ ଶକ୍ତିମୟୀ ସାଜି
ପାପୀକୁ ଦିଅଇ ନାଶି ।

ଲଳନା ବୋଲି ସେ ଛଳନା କରନା
ହେବ ବିପରୀତ ଦଶା ,
ତା' ଦୀର୍ଘଶ୍ଵାସରେ ଜଳି-ପୋଡ଼ିଯିବ
ତୁମ ଭବିଷ୍ୟତ ଆଶା ।
         ତେଣୁ ହେ ମଣିଷ ଜାଗ ;
ନୁହଁଇ ସେ ଭୋଗ-ବିଳାସ ସାମଗ୍ରୀ
ତା' କଲ୍ୟାଣ କାର୍ଯ୍ୟେ ଲାଗ ।

କରନା ତାହାର ଅସମ୍ମାନ ଆଉ
ଦିଅନାହିଁ ଅପମାନ ,
ଦିଅ ତାକୁ ସେଇ ଅତୀତ ମର୍ଯ୍ୟାଦା
ଫେରାଅ ତା' ସ୍ୱାଭିମାନ ।
          ଫେରାଇ ଦିଅ ତା' ହସ ;
ସେ ହସର ପ୍ରତିଧ୍ୱନିରେ ଗୁଞ୍ଜରି-
ଉଠୁ ଏ ବିବର୍ଣ୍ଣ ବିଶ୍ବ ।

ମାମୁରିଆ ,ଛେଣ୍ଡିପଦା ,ଅନୁଗୋଳ ।