ପାଳଭୂତ - ଶିବ ଚରଣ ମହାପାତ୍ର

0
ନିର୍ଜୀବ ଶରୀର ହାତ-ପାଦ ମୋର
ମିଥ୍ୟା ଅହଂ ଜୀବସତ୍ତା
ମିଥ୍ୟା ଆଭୂଷଣେ ନାନା ଚିତ୍ରପଟ
ମିଥ୍ୟା ତୁମ ବୁଦ୍ଧିମତ୍ତା..

ନୀରବେ ନୀରବି ଅଦୃଶ୍ୟ ବଳୟେ
ସୁରକ୍ଷା ପଣତ ଟାଣେ
ଦୁଇ ପାଦ ମୋର ମାଟିମୁହାଁ ରଖି
ବାଇଆ ବସା ମୁଁ ବୁଣେ..

ମଧୂର ମୂର୍ଚ୍ଛନା ତୋଳେ କ୍ଷେତମାଳେ
କେବେ ବିରହିଣୀ ରାଗ
ବେରାଗ ସଙ୍ଗୀତେ କେତେ ପ୍ରଜାପତି
ବଦଳାନ୍ତି ମୋ'ଠୁ ଦିଗ..

ପିରତି ବରଷା ଓଦା ଜଳବୁନ୍ଦା
ସବୁ କ୍ଳେଶ ପୋଛିଦେଇ
ନିଘଞ୍ଚ ଜଙ୍ଗଲ ପାଦଦେଶ ପରେ
ତିଆରେ ବଢିଲା ନଈ..

ଶରତ-ବସନ୍ତ ଅବା ମାଘଶୀତ
ସହୁଛି ଏ ଛାତି ହାଡ
ଝାଞ୍ଜି ବଇଶାଖି ମୋ ବିଶ୍ୱାସ ଆଗେ
ଭାଙ୍ଗିଛନ୍ତି ପାଦ ମୋଡ..

ବିହଙ୍ଗାଦି ମେଳେ ଶସ୍ଯକ୍ଷେତ କୋଳେ
ବୋଲୁଥାନ୍ତି ପାଳଭୂତ
କି' ଅବା ବୁଝିବ ବେଦରଦି ବନ୍ଧୁ
ସ୍ୱାର୍ଥପର ସଞ୍ଜ ଗୀତ...

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର

Post a Comment

0Comments
Post a Comment (0)