ହଜାଇଛି ତୋର ପ୍ରୀତିର ଠିକଣା
ପ୍ରଣୟ ରଙ୍କୁଣୀ ମୋର
ଗୋଳା ବାରୁଦରେ ସୀମାନ୍ତ ଉପରେ
ତିଆରିଛି ମୋର ଘର

ରାତି ନାହିଁ ଏଠି ପୀରତି ପାଇଁକି
ସପନ ଦେଖିବା ମନା
ଆକ୍ଷି ବୁଜିଦେଲେ ତଳକୁ ଚାହିଁବ
ଫର ଫର ଦେଶ ବାନା

ପ୍ରୀତି କହୁଛି ତୋ ପଉରୁଷ ଧିକ
ଆଗରୁ ମୋହର ପାଖା
ଦେଶ କହୁଛି ତୁ ବୀର ସୈନିକ
ପୁରୁଷ ପଣିଆ ଦେଖା

ଏପଟେ ମୋ ପ୍ରୀତି ସେପଟେ ମୋ ଦେଶ
ମଝିରେ ମୋ ବଳିଦାନ
ଦେଶ ପ୍ରୀତି ପାଇଁ ପ୍ରୀତି ଦେଶ ପାଇଁ
ରଖୁ ଏ ଜାତିର ମାନ

ପ୍ରେମ ପ୍ରଣୟର କବି ବିପିନ ମହାନ୍ତି, ପ୍ରେମ କବିତା ଲେଖିବାରେ ଖୁବ ମାହିର । କିନ୍ତୁ ତାଙ୍କ କବିତାରେ ଭରି ହୋଇ ରହିଥାଏ ପ୍ରେମର ଚିରନ୍ତନୀ ବାସ୍ତବ ଅନୁଭବ । ସେ କୁହନ୍ତି, "ବିରହରେ ହିଁ ପ୍ରେମ କବିତା ଖୁବ ଭଲ ଉତୁରି ଆସେ । ମୁଁ  କବିତା ଲେଖିବାକୁ କେବେ ଶବ୍ଦ ପଛରେ ଗୋଡାଏନି, ମୁଁ ସେତିକି ବେଳେ କବିତା ଲେଖେ, ଯେତେବେଳେ ଶବ୍ଦମାନେ ମତେ ଆପେ ଆପେ ଧରାଦିଅନ୍ତି ।"