ଛାଡ଼ିଦିଅ କାହ୍ନା କାଖର କଳସୀ
ସଅଳ ଘରକୁ ଯିବି ,
ଆଜି ଯଦି ପୁଣି ଉଛୁର ହୋଇବ
କି ଉତ୍ତର ମୁହିଁ ଦେବି !!

ବାଟରେ ଘାଟରେ ଯମୁନା ତୁଠରେ
ତୁମେ ଅଟକାଇ ଦିଅ ,
ନିନ୍ଦା,ଅପବାଦ ସହେ ଯେତେ ସବୁ
ପଥର କରିକି ଦେହ ।

ବୁଝିକି ଅବୁଝା ହୁଅ ତୁମେ କିଆଁ
ପାରେନି ମୁଁ ଜମା ଭାଳି ,
ଯୋଜନାଟି କିବା କରିଅଛ-ମୋତେ
ମାରିବାକୁ ଜାଳି ଜାଳି !!

କେଉଁ ଦୋଷ ଅବା କରିଅଛି କୁହ
ଦାଉ ସାଧୁଅଛ ଏତେ ,
ମନ ଦେଇଅଛି ତୁମକୁ ବୋଲି କି
ପରିଣାମ ଭୋଗେ ସତେ !! 

ତୁମଦେହେ ଯଦି କଳଙ୍କ ଲାଗନ୍ତା
ବୁଝନ୍ତ ମୋହର ଦୁଃଖ ,
ଗୋପ ନଗରୀରେ ଛାତି ଦମ୍ଭକରି
ଦେଖାନ୍ତନି ଆଉ ମୁଖ ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।