ମୌସୁମୀ ତୁମେ 
ଛୁଇଁଗଲେ ହୃଦୟରେ
ସବୁଜ ସୁରଭି
ବିଞ୍ଚି ହୋଇଯାଏ
ମୋ ମନର ଶୁଷ୍କ ବନେ,
ଝଂକୃତ ହୁଏ
କବିତାର ସ୍ବର
ମନ୍ଦ୍ର ମଧୁର ସ୍ୱନେ ।
ତମ କବରୀରେ
ମଲ୍ଲୀର ମହକ
ସିହଁରିତ କରେ ତନୁ,
ତମେ ଯେ ଆସିବ
ଶୀତଳ ଛନ୍ଦରେ
ଅୟୁତ ଅପେକ୍ଷା
ଅନ୍ତ ଘଟେଇ
ଚାତକୀ ମୁଁ କେଉଁଦିନୁ ।
ଆଶାର ମଞ୍ଜିଟି
ଅଙ୍କୁରିତ ହୁଏ
ସିକ୍ତ କରି ପ୍ରେମଭୂମି,
ତୁମରି ଆଶ୍ଳେଷେ
ତୃଷ୍ଣା ମେଣ୍ଟାଏ
ଓଦା ପଣତକୁ ଚୁମି ।
ତୁମ ମଧୁ ବିନ୍ଦୁ ସ୍ନିଗ୍ଧ ସଲିଳେ
ସ୍ପନ୍ଦିତ ହୁଏ
ମୋ ହୃଦୟ ପଦ୍ମବନ,
ଉଲ୍ଲାସ ଆବେଗେ
ପ୍ରୀତି ଛିଟା ଦିଅ
ସଜ ସରାଗରେ
ଭାଙ୍ଗେ ମୋର ଅଭିମାନ ।
ଭିଜା ଆଶାଢରେ
ଦିଅ ଯେ ଭିଜେଇ
ଶ୍ରାବଣ ଭରେ ଆଶ୍ବସ୍ତି,
ଇନ୍ଦ୍ରଧନୁର ରଙ୍ଗ ପରଶେ
ପଲ୍ଲବୀତ ତରୁ
ଅଭିସାରେ ଯାଏ ମାତି ।
ମୌସୁମୀ ତୁମେ
ଆସ ବାର ବାର
ମୁକ୍ତ ଆକାଶେ
ବ୍ଯସ୍ତ ବାଦଲ ଭରି,
ତପ୍ତ ନିଦାଘରେ
ତୃପ୍ତିର ଛିଟା ହେ
ପ୍ରାଣ ସଂଜୀବନୀ ପରି ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି , କେନ୍ଦୁଝର ।
Content Category:
Submission Date: Jun 24, 2019