ସରଗ ସୁଷମା ଓହ୍ଲାଇ ଆସିଛି
ମୋ ଗାଁ ଦାଣ୍ଡରେ ଆହା
ସକାଳେ ସୂରୁଜ ବୁଣୁଛି ମୁରୁଜ
ଘଞ୍ଚ ତରୁ ଫାଙ୍କେ ଯାହା
ସରଳା କିଶୋରୀ ଜଳ ଘଟ ଧରି
ଲେଉଟୁଛି ନିଜ ବାସେ
ସଲ୍ଲଜେ ତା ମୁଖ ଚନ୍ଦ୍ରମା ନୁଆଁଇ
ପଦ ଚାଳି ମନ୍ଦ ହାସେ
ସମୀରେ ବିତରେ ସୁଗନ୍ଧ ପ୍ରସୂନ
ଉପବନ ମଧ୍ୟେ ଫୁଟି
ସହକାରେ ଶୁଭେ କୋକିଳ ଆଳାପ
ଭୃଙ୍ଗ ମକରନ୍ଦ ଲୁଟି
ସରୋବରେ ହଂସ ହଂସରାଳୀ ମଧ୍ୟେ
କମଳ ଓ ନୀଳୋତ୍ପଳ
ସରାଗରେ ଅଳି ହୋଇ ସବୁ ମେଳି
ମଧୁ ଆହରଣେ ଭୋଳ
ସଗର୍ବେ ଦୋହଲି ତାଳ ନାରିକେଳ
ଶୂନ୍ୟରେ ଟେକିଣ ମଥା
ସକଳ ପ୍ରାଣୀଙ୍କୁ ବଖାଣନ୍ତି ଧୀରେ
ଅତୀତ ଗୌରବ ଗାଥା
ସରି ସରି ଆସେ ଦିନ ମାସ ବର୍ଷ
ଋତୁଏ ଯାଆନ୍ତି ହଜି
ସମ୍ପର୍କର ଡୋର ଛିଣ୍ଡିଯାଏ ଦିନେ
ଚାହିଁ ବି ନପାଏ ଖୋଜି
ସରସ ସୁନ୍ଦର ବିଲ ବଣ ତୋର
ଅମୃତ ତୋ ଶଶ୍ୟ ଫଳ
ସଲୀଳ ତୋହରି ଅଟେ ଗଙ୍ଗା ବାରି
ପବନ ମଳୟ ତୁଲ୍ୟ
ପ୍ରମୋଦ କୁମାର ପଣ୍ଡା
ବାଘମାରୀ, ଖୋର୍ଦ୍ଧା

