ହେ ଶ୍ୟାମା, ମହାନିଶା.. କାଳିକା
କଳା, କାଳ, ମୃତ୍ୟୁର କରାଳ ଉପାଧିରେ
ହିନ୍ଦୁତ୍ୱର କିମ୍ବଦନ୍ତୀ ଦୀପ୍ତ ମୁକୁଟ ପିନ୍ଧି
କାର୍ତ୍ତିକ ନବୀନ ଜହ୍ନ ଆଲୁଅ ଆଶାରେ
ଛୁଟିଆସ
ନାଶିବାକୁ ଧରିତ୍ରୀର ମନ୍ଦ, ଖଳ, ଅନୀତି, ଅସତ୍
ଜାଳିବାକୁ ବିଶ୍ୱର ପାପ, ଅବୈଧ, ଅମଙ୍ଗଳ.. ଅସତ୍ କର୍ମ
ଗଢିବାକୁ କୋହ- ଲୁହ ପୃଷ୍ଠରେ
ସତ୍ୟ, ନ୍ୟାୟ, ଧର୍ମର ନଭଶ୍ଚୁମ୍ବୀ ପ୍ରାସାଦ
ସ୍ଫୁର୍ତ୍ତିର ମନ୍ଦ ମନ୍ଦ ସ୍ପନ୍ଦନରେ..॥
ତୁମେ ତ ପ୍ରଥମ ଦଶମହାବିଦ୍ୟା
ଶ୍ରେଷ୍ଠ ଉଗ୍ର- ହିଂସ୍ର ଦଶତାନ୍ତ୍ରିକ ଦେବୀ
ସେଦିନ ଶମ୍ଭୁ ନିଶମ୍ଭୁଙ୍କ ଧ୍ୱଂସ ବିନାଶ
ଖିନଭିନ କଲା ହରପାର୍ବତୀଙ୍କ ହିମାଳୟ
ହଲଚଲ କଲା ଦେବରାଜଙ୍କ ସ୍ୱର୍ଗ ସିଂହାସନ
କ୍ରୋଧାନ୍ୱିତ ହେଲ ଜ୍ୱାଳାମୁଖୀ
ଅସୁର ବିନାଶ ମିଶନ୍ ରେ
ଛୁଟିଲ ତୁଙ୍ଗି ତୋଫାନ ପ୍ରାୟ
ସାଥିକରି ଡାକିନି ଜଗିନୀ
ହତ କଲ ଶତ ଶତ ଅସୁର
ପିନ୍ଧିଲ ମୁଣ୍ଡମାଳ
ହରାଇଲ ନିୟନ୍ତ୍ରଣ ବିଶ୍ୱ ହେଲା କମ୍ପମାନ
ସମ୍ମୁଖରେ ଯିଏ ବି ହରାଇଲା ପ୍ରାଣ
ଅସ୍ତବ୍ୟସ୍ତ ଶିବ ଲୁଚିଲେ ତୁମ ପଥରେ
ଅଜାଣତେ ପକାଇଲ ପାଦ ଭୋଳାଙ୍କ ଛାତିରେ
ସଂସ୍କାରୀ ତୁମେ କାମୁଡିଲ ଲହ ଲହ ଜିହ୍ୱା
ଗଭୀର ଅନୁତାପରେ...॥
ଧନ୍ୟ ସେହି ବଙ୍ଗରାଜ କୃଷ୍ଣଚନ୍ଦ୍ର ନବଦୀପ
କଲା ପହିଲି ପୂଜା
ରଚିଲା ବିଧି ବିଧାନ ପରମ୍ପରା
ସାଜିଲ ତ୍ରାଣକର୍ତ୍ତୀ
ବାନ୍ଧିଲା ମାନବ ବିଶ୍ୱାସର ସୂତା
ମାତା-ଶିଶୁ ବାତ୍ସଲ୍ୟ ମମତାରେ
ରଚିବାକୁ ଭରସାର ସୌଧ
ନେବାକୁ କାର୍ଯ୍ୟାନୁଷ୍ଠାନ ନାଶିବାକୁ ପାପାତ୍ମା
ଶ୍ରଦ୍ଧାରେ ପୋତିବ ଚିରନ୍ତନ ଧ୍ରୁବ ସତ୍ୟ ବୀଜ
ତୋଳିବ ସରଗ ସୁଷମା
ଶାନ୍ତିର ଧରିତ୍ରୀ ବକ୍ଷରେ
କଲା ଭକ୍ତି ଭାବର କାଳୀପୂଜା
ହୃଦୟର ତୋଫା ଆଲୁଅରେ..॥
ନାରାୟଣ ଚନ୍ଦ୍ର ସେନାପତି, ଶିକ୍ଷକ,
ସରକାରୀ ଉ. ପ୍ରା. ବିଦ୍ୟାଳୟ,
ଡିମିରିଆ, ତେଲକୋଇ, କେନ୍ଦୁଝର - ୭୫୮୦୧୯
0 Comments
You can write now your valuable comments here. Off-topic comments may be removed or deleted without prior notice.