
ଆସନ୍ତେ ଶରତ ମହୀ ଉଲ୍ଲସିତ ନବଦୁର୍ବା ନୀଳ ବରଣା
ସୁନ୍ଦରୀ ଅପ୍ଷରୀ ନହୋଇବ ସରି ରୂପେ ଉଭା ଏହି ଲଳନା
ଶରତ ଆସିଲେ ଧରଣୀ
ଦିଶୁଅଛି ଆହା କେଡେ ମନୋହର ସୁନ୍ଦର ସବୁଜ ସରଣୀ ।।
ଧାଡି ଧାଡି ହୋଇ ଚାମର ଢାଳଇ ଶୁଭ୍ର ଶ୍ବେତ କାଶଫୁଲ
ଶରତ ଆକାଶେ ଧଳା ମେଘ ଭାସେ ତୁଳା ଗିରି ସମତୁଲ
ବହଇ ଶୀତଳ ପବନ
ପୁଲକ ସଂଚାରେ ପ୍ରତି ପ୍ରାଣେ ପ୍ରାଣେ ହସିଉଠେ ବିଶ୍ବ ଜୀବନ ।।
ଜହ୍ନି, କାକୁଡି ର ଫୁଲ ରେ ସୁନ୍ଦର ଦିଶୁଅଛି ବାଡି ବଗିଚା
ଦେଖିଲେ ଲାଗଇ ଫୁଲ ଫୁଟା ଏହି ପଡ଼ିଛି କି ଗୋଟେ ଗାଲିଚା
ଉଡ଼ି ଉଡ଼ି ଗାଏ ଭ୍ରମର
ଗୁଣୁଗୁଣୁ ସ୍ବନ ଅବା ବୀଣା ତାନ ଶୁଣାଯାଏ ତହୁଁ ମଧୁର ।।
ନାନା ଜାତି ଫୁଲ ସଉରଭ ଚୋର ଅଙ୍ଗେବହି ଧୀରେ ଲହରେ
ଫୁଲ ସୁବାସ ରେ ମହକି ଯାଏ ରେ ଦିଗ ବିଦିଗ ସେ ବାସରେ
ରୂପ କି ନନ୍ଦନ କାନନ
କାହିଁ ମୋର ଭାଷା ଚମକଇ ରସା କରିବାକୁ ତାର ବର୍ଣ୍ଣନ ।।
ଶରତ ସଞ୍ଜୁଆ ଚନ୍ଦ୍ର ଉଦିଆ ରୂପେଲି କିରଣ ପରସେ
ତଟିନୀ କୁମୁଦ ଶୋଭାରେ ମୁଗ୍ଧ ପରାଣେ ପରାଣେ ଝଲସେ
ରତୀପତି କାମଦେବ
ମାରି ଫୁଲ ଶର କରେ ଗୁରୁତର କାମି କାମିନୀ ର ଭାବ ।।
ଏ ଶୁଭ ବାସରେ ମନ୍ଦ୍ର ମଧୁରେ ଓଁ କାର ବେଦ ମନ୍ତ୍ର
ହୁଏ ନିନାଦିତ ଆସୁଛନ୍ତି ମାତ ରସେ ରସା ବିମୋହିତ
କଳୁଷ ମୋଚନ କାରିଣୀ
ଯେତେ ଦୁଃଖ ଦୈନ୍ୟ ଅଛିରେ ଜୀବନ ଆସିବେ ଖଣ୍ଡିବେ ଭବାନୀ ।।
ବିମୁଗ୍ଧ ଜଗତ ହୁଏ ଆହ୍ଲାଦିତ ମହିଷା ମର୍ଦ୍ଦିନୀ ବେଶରେ
ସର୍ବ ଦେବାଦେବୀ ସଙ୍ଗେ ଘେନି ଉର୍ବୀ ହସେ ଏ ପାର୍ବଣ ଲଗନେ
କରିବାରେ ଆବାହନ
ପାପ ତାପ ରୂପି ବିକଟ ମହୀଷା-- ସୁର କୁ କରିବେ ମର୍ଦ୍ଦନ ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
