ଚୁଡା, ମୁଢି ର ଯେ ଆଦର କମିଲା
ଦେଖି ଏ ଫଳ ବଜାର
ଡ଼ଉଲ ଡାଉଲ ସେଓ,କଦଳୀ ରେ
ବଜାର ତ ଭରପୁର ।।
ଆମ୍ବ,ପିଜୁଳିର କି ଗୁଣ ଗାଇବି
ହାତ ଠାରି ଡାକୁଥାନ୍ତି
କାର୍ବାଇଟ ଦିଆ ରୁପରେ ଲୋଭେଇ
ଗରାଖ ଭିଡ଼ ଯମାନ୍ତି ।।
ସଜ ଫରଫର ପରିବା ହସୁଛି
କେମିକାଲେ ଥାଇ ଜଡି
ମଲା ମାଛ ଆଖି ତରାଟି ଚାହିଁଛି
ପାଇ ଫର୍ମଲଡିହାଇଡ଼ ।।
କୁତ୍ରିମ ଉପାୟେ ଅଣ୍ଡା, ବନ୍ଧାକୋବି
ମିଲିଲାଣି ବଜାରରେ
ପ୍ଲାଷ୍ଟିକ ଚାଉଳ ହଜମ କରିବା
ଶିଖିଯିବା ଧୀରେ ଧୀରେ ।।
ବିଜ୍ଞାନ ବଳରେ ଦେଶ ଆଗେଇଛି
ରହୁଛି ସବୁ ସତେଜ
ପ୍ରତିଦିନ ଆମେ ବିଷକୁ ଖାଉଛେ
କରୁଛେ କେତେ ମଉଜ ।।
ଆମରି ଭାରତ ଗର୍ବିତ ପାଇକି
କୃଷି କର୍ମଣ ପୁରସ୍କାର
ଭାରତୀୟ ଚାଷୀ ମରେ ହସି ହସି
କ୍ଷେତରେ ପିଇ ଜହର ।।
ଧନ୍ୟ କେମିକାଲ ଧନ୍ୟ ତୋ ମହିମା
ଧନ୍ୟ ଏ ଯିବ ଜଗତ
ସବୁ ରଙ୍ଗ ,ରୁପ ପାରିବ ବଦଳି
ତୋ ସାଥେ ମିଳାଇ ହାତ ।।
ରୋଜି ମିଶ୍ର
ବ୍ରାହ୍ମଣ କୁଶଡିହ, ବାଲୁଗାଁ, ଖୋର୍ଦ୍ଧା
