ଆସରେ ଆସ ସଖା ସଖୀ ମୋର
ଯିବା ଆମେ ଶ୍ରୀକ୍ଷେତ୍ର,
ରଥଯାତ୍ରାରେ ବାମନ ବେଶେ
ଦେଖିବା ଜଗାକୁ ସତ।
ଧନ୍ୟ ହୋଇବ ଜୀବନ ଆମ
ଦେଖିଲେ ବାମନ ବେଶ,
କାଳିଆ ଯେବେ କୃପା କରିବ
ଦୂରେ ଯିବ ଅବଶୋଷ।
ଲକ୍ଷେ ଭକ୍ତଙ୍କ ଗହଳି ମଧ୍ୟେ
କାଳିଆ ଥିବ ରହି,
ନୟନ ଓଦା କରି ଦେଖିଲେ
ଚାହିଁବ ତତେ ସେହି।
ମାଗେନି ସିଏ ନଡ଼ିଆ ଫଳ
ମାଗେନି ସର ଦହି,
ଭକତ ଠାରୁ ଭକତି ପାଇ
ପେଟ ପୁରାଏ ସେହି।
ବର୍ଷରେ ଥରେ ରଥଯାତ୍ରାରେ
ଭକତ ଭିଡ଼େ ସେହି,
କି ଜାତି ଭେଦ କି ଧର୍ମ ବେଦ
ସଭିଙ୍କୁ କରଇ ବାଇ।
ଦୁଖିଠୁ ରଙ୍କି ଧନୀ ଗରିବ
ସଭିଙ୍କୁ ଦେଖେ ସେହି,
ମନକୁ ବୁଝି ଜାଣେ ସେ ଭାବ
କରୁଣା ଦିଏ ବର୍ଷାଇ।
ଯା ଆଖି ମଧ୍ୟେ ଦିଶଇ ସଦା
ବ୍ରହ୍ମାଣ୍ଡ ଭାଷମାନ,
ତା ଆଖି ଦେଖି ଝରେ ମୋ ଲୁହ
ତା ପାଇଁ ବିକଳ ମନ।
ସେ ମହାଦାନୀ ସେ ମହାଦେବ
ମୋହିନୀ ଅଟେ ସେହି,
ମାୟାରେ ପୁଣି ମୋହି ଯେ ନିଏ
ମହାପାପୀ ମନ ସେହି।
ଯାହା ମହିମା ର ନାହିଁ ସୀମା
ଯାହା ରୂପର ନାହିଁ କଳ୍ପନା,
ସେହି ମୋହର କଳା ଠାକୁର
ତା ପାଦ ପଦ୍ମେ ଶତ ଜୁହାର।
ଯାହା ନୟନ କମଳ ସମ
ଯାହାର ନାମ ପରଂବ୍ରହ୍ମ,
ମହାପ୍ରଭୁ ସେ ଜଗତନାଥ
ରଥଯାତ୍ରା ରେ କରିବି ଭେଟ।
ସେ ଅଟେ ତ୍ରିଭୁବନରେ ଦାତା
ଯାହାର ଅଛି ଅସୀମ ଗାଥା,
ଯାଚି ମୁ ଦେବି ଭକତି ଫଳ
ନେବ ସେ ଫଳ ପ୍ରଭୁ ସଅଳ।
ଲେଖନୀ ଲେଖେ ଭଲ କି ମନ୍ଦ
ଜାଣିନି ମୂଝେ ହେ ଆଦିକନ୍ଦ,
ଅଧମ ଚିତ୍ତ ତୋ ପ୍ରେମେ ବାଇ
କ୍ଷମା କରିବ ହେ କଳା କହ୍ନାଇ।
ଚିତ୍ତରଞ୍ଜନ ସାହୁ
ଗ୍ରାମ/ପୋଷ୍ଟ- ସିଙ୍ଗିରି, ପି.ଏସ- ଆଳି
ଜିଲ୍ଲା- କେନ୍ଦ୍ରାପଡା, ପିନ- ୭୫୪୨୧୫
ଫୋନ- ୭୩୭୭୬୭୮୭୩୮
ରଥଯାତ୍ରା - ଚିତ୍ତରଞ୍ଜନ ସାହୁ
August 12, 2018
0
