ଅଠରବାଟିଆ, ବାଲୁଗାଁ, ଖୋରଧା
ସାଗର କୂଳରେ ଗଢିଛି କୁଟୀର
ବାଲୁକା ବେଳାରେ ସଖୀ
ନିତି ଦେଖୁଅଛି ତୁମରି ମୁହଁକୁ
ନୀଳ ଢେଉକୁ ନିରେଖି ।।
ତରଙ୍ଗର ମାଳେ ଖେଳ ଲୁଚକାଳି
ସିନ୍ଧୁ ହୃଦୟରେ କୋଳେ
ଚୋରା ଚଇତାଳି ମନକୁ ଚୋରାଏ
ନାଚି ଉଠ ପ୍ରୀତି ଛଳେ ।।
କଥା ଦେଇଥିଲ ଆସିବ ଜୁଆରେ
ପୂର୍ଣ୍ଣିମା ବଳୟ ଜାଣି
ପ୍ରତିକ୍ଷାରେ ଆଜି ପ୍ରୀତର ଡହକ
ତଟରେ କରେ ଜାଳେଣି ।।
ତୁମ କି ଗୋ ପ୍ରିୟା ଏମିତି ବେଳରେ
ସପନେ ଆସିଲେ ମୋର
କେତେ ସ୍ମୃତି କତେ ଅତୀତ କାହାଣୀ
ସବୁ ହେଲା ପାଣି ଗାର ।।
ଲିଭି ଯାଇଥିଲା ସମୟ ସୁଅରେ
ସବୁ କିଛି ଅନୂଭୁତି
ଭାବନା ରାଇଜେ ଭାବୁକ ମୁଁ ଗୋଟେ
ଲାଗେ ପ୍ରତାରଣା ପ୍ରୀତି ।।
