ଅଠରବାଟିଆ, ବାଲୁଗାଁ, ଖୋରଧା
ସ୍ଵପ୍ନମୟୀ ତୁହି ସୁନ୍ଦରୀ ରୂପସୀ
ପ୍ରକୃତିର ମହାରାଣୀ
ନୀଳ ନୀଳ ଢେଭ ସଜାଇ ତନୁରେ
ଲାଗୁଛୁ ଚାରୁ ତରୁଣୀ ॥
ମରାଳର ମାଳ କରି ରୂପା ହାର
ପିନ୍ଧିଛୁ ଗଳାରେ ଘେରି
ସମୀର ବହନ୍ତେ ଝୁଲି ନାଚୁଥାଉ
ସତେ କିବା ଅପସରୀ ॥
ସୁନେଲୀ ସକାଳେ ପଖାଳୁଛୁ ଦେହ
ରାତିର ବସନ ଧୋଇ
ନିତି ସଞ୍ଜ ବେଳେ ପ୍ରଣାମ କରୁଛୁ
ରବି ହସୁଥିଲେ ଉଇଁ ॥
ଗୋଧୂଳି ଲଗନେ ତୋ ରୂପ ଲାଗଇ
ସତେ ଅବା ଅପରୂପା
ବିହଙ୍ଗମ ମାଳେ ଶୁଣୁଛୁ ରାଗିଣୀ
ମନ ତୋର ସ୍ଵର୍ଣ୍ଣ ଚମ୍ପା ॥
ପୂର୍ଣ୍ଣିମାର ଉଷା ଢାଳଇ ଜୋଛନା
ତୋ ଯୁବା ବୟସ ଦେଖି
ରାତିର ଶେଯରେ ଶୋଇ ଚେଇଁ ଥାଉ
ଲାଗୁ ତୁ ବଡ ପ୍ରେୟସୀ ॥
ପ୍ରୀତିମୟୀ ଲାଗେ ତୋ ବେଶ ମାଧୁରୀ
ଶୀତଳତା ବହେ ଅଙ୍ଗେ
ତୋର ରୂପ ଯୌବନ ଦେଖିଦେଲେ ଥରେ
ମନ ଲାଗଇ ସର୍ବାଙ୍ଗେ ॥
କବି ଭାବୁକଙ୍କ ମନର ମାନସୀ
ହୃଦୟ ନୌକାରେ ବସି
ଲେଖିଦେଉ କେତେ କାହାଣୀ କବିତା
ମନେ ମନେ ହୋଇ ଖୁସି ॥
ରୂପରେ ଭରିଛି କେତେ ଅତୀତର
ଅଭୁଲା ପୀରତି ପ୍ରେମ
ସଦା ହସୁଥାଉ ପ୍ରକୃତିର କୋଳେ
ମେନକା ଉର୍ବଶୀ ସମ ॥
ସୌନ୍ଦର୍ଯ୍ୟର ଲାଗି ଅଟୁ ଗନ୍ତାଘର
ମନକୁ ଟାଣୁ ତୁ ଏକା
ଚାରୂକଳା ଭରା ଏସିଆ ସୁନ୍ଦରୀ
ନୂଆ ବୋହୂ ତୁ ଚିଲିକା ॥
