ଦ୍ଵିତୀୟ ଈଶ୍ୱର - ତପନ ପ୍ରଧାନ

0
ତପନ ପ୍ରଧାନ
ବିଳାଶୁଣି, କଟକ

ମଣିଷ ସାଜିଛି ଆଜି ଦ୍ଵିତୀୟ ଈଶ୍ୱର
କେବେ ବିଶ୍ଵକର୍ମା ସାଜେ, କେବେ ପୁଣି ତାଣ୍ଡବ ଶିବର ।
ଚନ୍ଦ୍ରମାରେ ପାଦ ପୁଣି ମଙ୍ଗଳରେ ଯାନ
ସୃଷ୍ଟିର ରହସ୍ୟ ଭେଦ, ଈଶ୍ୱର କଣିକା
ପରମାଣୁ ଅସ୍ତ୍ରର ଭଣ୍ଡାର
ତଥାପି ମନରେ ପ୍ରଶ୍ନ କୋଟିଏ ଟଙ୍କାର
ମଣିଷ ସାଜିଛି ଆଜି ଦ୍ଵିତୀୟ ଈଶ୍ୱର ।।

ନଦୀର ନିର୍ଝର ଆଉ ଝରଣାର କୁଳୁକୁଳୁ ଗୀତି
କୋଇଲିର କୁହୁ ମଳୟ ପବନ ପୁଣି
ପୂର୍ଣ୍ଣ ଜହ୍ନରାତି
କୃଷ୍ଣଚୂଡ଼ା ରଙ୍ଗ ଆଉ ଜୁଇ ଜାଇ ହେନାର ବାସନା
ଭରିକି ପାରିବ କିଏ ପ୍ରଶ୍ନ ଅଟେ ସବୁରି ମନର
ମଣିଷ ସାଜିଛି ଆଜି ଦ୍ଵିତୀୟ ଈଶ୍ୱର ।।

ପାହାଡ଼ର ଅନ୍ଧାରି ଉହାଡ଼ ଆଉ ବରଗଛ ଓସ୍ତଗଛ ଛାଇ
କପୋତୀ କ୍ରନ୍ଦନ ପୁଣି ବାଘର ଗର୍ଜନ
ବିଲୁଆର ହୁକେ ହୋ
ଗୀତ ପୁଣି ବଣ ଜଙ୍ଗଲର
ଟିଟିଭର ସତର୍କ ଚିତ୍କାର ଆଉ
ଶାଗୁଣାର ପକ୍ଷ ଫଡ଼ଫଡ଼
ଲେଖି କି ପାରିବ କବି ଗପ ଗୀତ ଏ ଲୟ ତାଳର
ତଥାପି ମଣିଷ ଆଜି ଦ୍ଵିତୀୟ ଈଶ୍ୱର ।।

କିଆ ଗୋହିରୀର କଥା ଆମ୍ବ ତୋଟାମାଳ
ପଦୁଅଁ ପୋଖରୀ ଜଳ କଇଁ ଫୁଲ କଢ଼
ଶୀତୁଆ ସଂଜର ଗୀତ ନଈ ପଠା
କାଶତଣ୍ଡି ମାଳ
କିଚିରି ମିଚିରି ସ୍ୱର ଘର ଚଟିଆର
ଗଢ଼ି ପାରିବନି କେବେ ମଣିଷ ମାତର
ତଥାପି ମଣିଷ ଆଜି ଦ୍ଵିତୀୟ ଈଶ୍ୱର ।।

ଝିଙ୍କାରୀର ଗୀତ ପୁଣି ନାନାଜାତି ଫୁଲର ମହକ
ପଉଷ ସକାଳେ ଚକୋରକୁ ଚକୋରିର ଡାକ
ସାଗରର ଢେଉ ପୁଣି ବେଙ୍ଗ ଆଉ ବେଙ୍ଗୁଲୀର ସ୍ୱର
ବାଇଆ ଚଢେଇ ବସା ତାଳବଣ ଶାଳବଣ
କୁମ୍ଭାଟୁଆ କାଠହଣା କବିତାର ସ୍ୱର
କିଏବା ଭେଦିଛି ଏହି ରହସ୍ୟ ସୃଷ୍ଟିର
ମଣିଷ ସାଜିଛି ଆଜି ଦ୍ଵିତୀୟ ଈଶ୍ୱର ।।

ଯେତେ ଫୁଟେ ଘାସ ଫୁଲ କୂଳେକୁଳେ ହାଡୁଆ ନାଳର
ମୂଲ ଦେଇ କିଏ କେବେ କିଣିବା ପାରିବ
କେତେ ପାଣି ବହିଗଲା ନଦନଦୀ ପାହାଡି ଝରର
ହିସାଵବା କିଏ ତାର ଦେବ ?
ତଥାପି ମଣିଷର ମିଥ୍ୟା ଅହଙ୍କାର
କରିଛି ରହସ୍ୟଭେଦ ସୃଷ୍ଟି ସର୍ଜନାର
ନୁହେଁ ତ ମଣିଷ ଜମା ଦ୍ଵିତୀୟ ଈଶ୍ୱର
ଗୋଟେ ଭସ୍ମାସୁର ।।।

Post a Comment

0Comments
Post a Comment (0)