କବି ନିର୍ମାଲ୍ୟ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ
ରାଜୀବ ନଗର, ଖୋଡାସିଙ୍ଗି, ବ୍ରହ୍ମପୁର
ମୁଁ ଚଲା ପଥିକ
ଯିବି ଗ୍ରାମ ଏକ
ଦିବ୍ୟଧାମ ତା’ର ନାମ,
ଚିର ଆଲୋକିତ
ଶୋକ ବିରହିତ
ଗ୍ରାମ ସୁନ୍ଦର ସୁଠାମ ॥୧॥
ଦିଶିଲାଣି ତୋଟା
ଘର ଗୋଟା ଗୋଟା
ଗ୍ରାମର ପ୍ରବେଶ ଦ୍ଵାର,
ଦେଉଳ ଶିଖର
ନେତ ଫର ଫର
ଗ୍ରାମର ଚାହାଳୀ ଘର ॥୨॥
ଶମ୍ଭୁ ଆଳୟର
କାମ୍ଭୁ ଶବଦର
ହେଲାଣି ଶ୍ରୁତି ଗୋଚର,
ହେଲାଣି ନିକଟ
ଅଛି ଅଳ୍ପ ବାଟ
ଯିବାକୁ ଗ୍ରାମ ଭିତର ॥୩॥
ଲାଗିଲାଣି ଥକା
ଚାଲି ଚାଲି ଏକା
ପଡିଗଲି ମୁଁ ପଛରେ,
ମୋର ସାଙ୍ଗ ସାଥି
ତରବରେ ଅତି
ଚାଲି ଗଲେଣି ଆଗରେ ॥୪॥
ସରିଆସେ ଦିନ
ବେଳ ଅବସାନ
ସମୟ ଆସି ହେଲାଣି,
ଦିବାନ୍ତ ପୂର୍ବରୁ
ଯାତ୍ରା ମୋର ସରୁ
ବୋଲି ପଡିଛି ଭାଳେଣି ॥୫॥
ସେ ମୁରଲୀଧାରୀ
ଅନନ୍ତ ବିହାରୀ
ସେ ଗ୍ରାମର ଅଧିକାରୀ,
ସିଂହାସନେ ବସି
ମନ୍ଦେ ମନ୍ଦେ ହସି
ଡାକନ୍ତି ହସ୍ତ ବିସ୍ତାରୀ ॥୬॥
ଆସ ବାବୁ ଆସ
ମୋ ସମୀପେ ବସ
କର ପ୍ରେମ ସୁଧା ପାନ,
ପ୍ରଫୁଲ୍ଲ ମନରେ
ସେ ସୁଧା ପାନରେ
ସରଗ ନୁହେଁ ସମାନ ॥୭॥
