ପ୍ରସନ୍ନ କୁମାର ମାଦଳା
ଘ.ନଂ-ଏଫ୍/୧୩, ସେକ୍ଟର-୪, ରାଉରକେଲା
ଫୋନ୍- ୭୯୭୮୧୯୨୨୨୭

ଆଜି କୁଆଡେ ଚିଠି ଆସିଛି କଟକ ଡାକ୍ତର ବାବୁଙ୍କଠାରୁ, ଅଳ୍ପ ଦିନରେ ଗଂଧିଆ ଭଲ ହୋଇଯିବ ଆଉ ଗନ୍ଧର୍ବ ସାଜିଯିବ । ତା' ମାଆ ମରିଗଲାଠୁ ଗଂଧିଆ ମୁହଁରୁ ହସ ଟିକେ ନିଖେ ବୋଲି ଯାହା ଥିଲା ସବୁ ଲିଭିଗଲା । ଅନବରତ ଭିଜା ଭିଜା ଲାଗୁଥିବା ତା ପଶିଯାଇଥିବା ଆଖିକୁ ଦେଖିଲେ ଯେ କେହି ବୁଝିଯାଇପାରିବ କଥା କହିପାରୁ ନଥିବା ସତ୍ତ୍ୱେ କେତେ ଯେ କୋହ ଆଉ ଦୁଃଖ ତା ଉଦାସ ମୁହଁରେ ଭରିରହିଛି । ଆଗ ଭଳି ଠିକ୍ ଭାବେ ଖିଆପିଆ ବି କରୁନି ବୋଲି ଦେହଟା କଙ୍କାଳସାର ହେଲାଣି । ଏକୁଟିଆ ତା ବାପା କେତେ ଜଣ କରିବ? ଚାକିରିଟା ଛାଡ଼ିଦେଇ ଘର ମୁହଁରେ ଦୋକାନଟିଏ କରିଛି ଖାସ୍ ଏହି ଗଂଧିଆ ପାଇଁ, ତା ଦେଖାଶୁଣା କରିପାରିବ ବୋଲି । ହେଲେ ଚବିଶ ଘଣ୍ଟା ତା ମାଆ ପରି ପଛେ ପଛେ ରହିପାରୁନି। ଘର ଚଳାଇବାକୁ ଦୋକାନ ବି ତ ଦେଖିବାକୁ ପଡୁଛି । କୋଉ ଦିଗର ରହିଲାନି ଘନଶ୍ଯାମ । ପୂର୍ବାର୍ଜିତ କୋଉ ଦୁଷ୍କୃତର ଫଳ ଯେ ଭୋଗୁଛି ଏ ଗଂଧିଆ ପାଇଁ ଘାଣ୍ଟି ଚକଟି ହେଉଛି, ସେତକ ଭାବିବାକୁ ବି ସମୟ ନାହିଁ । ମଣିଷ ଜନ୍ମରେ ଭଗବାନ ରାମଚନ୍ଦ୍ର ବି କେତେ ଦୁଃଖ ସହିଥିଲେ ସବୁ ନିୟତିର ବିଧାନ ବୋଲି ।


ଗଂଧିଆ, ଜନମରୁ ଏମିତି ନଥିଲା । ଗୁଲଗାଲିଆ ସୁନ୍ଦର ଚେହେରାରେ ମୋହିତ ହେଇ ଗନ୍ଧର୍ବ ବୋଲି ନାଁ ଦେଇଥିଲା ଘନଶ୍ୟାମ । କେଜାଣି କାହିଁକି ଦେଢ ବରଷର ହେଲା ବେଳକୁ କୋଉଠୁ ଗୋଟେ ଅପନ୍ତରା ରୋଗ ଆସି ମାଡି ବସିଲା ଯେ ସବୁ ସରିଗଲା, ଦୁର୍ବଳ କରିଦେଲା ପିଲାଟାକୁ । ଆଉ ତା ହାତ ଗୋଡ଼ ଓ ମୁହଁ ବଙ୍କା ହେଇଗଲା ପୋଲିଓ ରୋଗ ଭଳି । ଅକର୍ମଣ୍ୟ କରିଦେଲା ପୂରାପୂରି, ଡାକ୍ତର ଦେଖେଇ ଦେଖେଇ ନୟାନ୍ତ ତଥା ସର୍ବସ୍ବାନ୍ତ ହୋଇଗଲା ଘନଶ୍ୟାମ । ଆଶା ସିନା ମଉଳି ଗଲା, ହେଲେ ଅବହେଳା କେବେ କରିନାହାନ୍ତି ପତିପତ୍ନୀ ପିଲାଟିର ଯତ୍ନ ନେବାରେ। ଗନ୍ଧର୍ବ ବାପାମାଆଙ୍କ କୋଳଛଡା ହେଲା ବେଳକୁ କେମିତି କେଜାଣି ଗଂଧିଆ ହେଇଗଲା ଅଳ୍ପ କେଇ ବର୍ଷରେ । ନା ପାଦ ପକାଇ ଠିକ୍ ଚାଲି ପାରୁଥିଲା ନା ମୁହଁକୁ ହାତ ବଢାଇ ନିଜେ କିଛି ଖାଇ ପାରୁଥିଲା । ଶେଯରେ ମୁତିବା ଆଉ ଘର ଅଗଣାରେ ହଗିବା ତ ସବୁଦିନିଆ କଥା, ମାଆ ତାର ହାତରେ ଖୁଆଇ ପିଆଇ, ଶୌଚ କରାଇ ଲୁଗାପଟା ଧୋଇ ଧୋଇ ଅଠର ବର୍ଷ କାଳ ପାଳିନେଲା । କେବେ ଗୀତ ଗାଇ ଶୁଆଇ ଦିଏ ତ କେବେ ଗପ କହି ଖୁଆଇ ଦିଏ ହସାଇ ଦିଏ । ଏ ଜଞ୍ଜାଳ ଆଉ ଚିନ୍ତାରେ ସିଏ ନିଜେ ବି ରୋଗଗ୍ରସ୍ତ ହୋଇ ଆରପାରିକୁ ଚାଲିଗଲା ଚିକିତ୍ସା ଅଭାବରୁ । ଥରେ କଟକ ଯାଇଥିଲେ ସପରିବାର ମାଆର ଚିକିତ୍ସା ପାଇଁ, ଡାକ୍ତର ଗନ୍ଧର୍ବକୁ ବି ଦେଖିଲେ ଆଉ ତାହାର ଏକ୍ସରେ ଆଦି ପରୀକ୍ଷା ନିରୀକ୍ଷା କରିଥିଲେ ।


ଏବେ ଦୁଇବର୍ଷ ହେଲା ଘନଶ୍ୟାମ ଥକିଗଲାଣି ଏକୁଟିଆ ଏତେ ବୋଝ ଉଠାଇ । ଭାବିଥିଲା ଦ୍ବିତୀୟ ବିବାହ କରି ଚଳିଯିବାକୁ । ହେଲେ ଗନ୍ଧର୍ବ କାଳେ ସ୍ବୀକାର କରିବ କି ନାହିଁ ଭାବି ସାହସ କଲାନି । ହନ୍ତସନ୍ତ ହୋଇ ଥରେ ତାକୁ ମୁକ୍ତି ଦେଇଦେବା ପାଇଁ କୃତ୍ରିମ ଦୁର୍ଘଟଣାର ଉପାୟ ବି ଭାବିଥିଲା, ହେଲେ ଏତେ ବଡ଼ ପାପ କରିପାରିଲାନି । ନିଜେ ବି ବିଷ ଖାଇ ପାରିଲାନି.... ଜୀବନର ଦର୍ଶନ ଖୋଜୁ ଖୋଜୁ ପୁତ୍ର ମମତା ମୋହରେ ଅଧିକରୁ ଅଧିକ ଛଂଦି ହୋଇଯାଉଥିଲା ।


ଆଜି କଟକର ସେହି ଡାକ୍ତରଙ୍କ ଠାରୁ ଚିଠି ଆସିଛି । ଘନଶ୍ୟାମର ପାଦ ତଳେ ଲାଗୁନି, ପୁଅକୁ ନେଇ କାଲି ସକାଳେ କଟକ ଚାଲିଯିବ ବୋଲି ସଜବାଜ ହେଉଛି । ବେଶୀ କୁଆଡେ ଖର୍ଚ ବି ହେବନି, କଲିକତାର ଏକ NGO ସହାୟତାରେ ଗନ୍ଧର୍ବର ଉନ୍ନତମାନର ଚିକିତ୍ସା ଥାଇଲାଣ୍ଡର ଡାକ୍ତର କରିବେ, ଆଉ ଗନ୍ଧର୍ବ କୁଆଡେ ଭଲ ହୋଇଯିବ ବୋଲି ଲେଖିଛନ୍ତି । ମାଆ ତାର ଥାଆନ୍ତା କି ଆଖିରେ ଟିକେ ଏସବୁ ଦେଖିବାକୁ ।